ଭୁବନେଶ୍ବର,କଳିଙ୍ଗ-ଖବର : ଆସନ୍ତା ୩୧ ତାରିଖ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅବସର ଗ୍ରହଣ କରିବେ। ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ଅବସର ନେବା ଲାଗି ଅନୁମତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ପରବର୍ତୀ ମୁଖ୍ୟଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି।
ନୂଆବର୍ଷରେ ନୂଆ ମୁଖ୍ୟଶାସନ ସଚିବ କାର୍ଯ୍ୟାରମ୍ଭ କରିବେ। ଏହି ପଦ ଲାଗି ଅନେକ ଅଧିକାରୀଙ୍କ ନାମ ଚର୍ଚ୍ଚା ହେଉଥିଲେ ହେଁ, ସବୁଠାରୁ ଆଗରେ ଅଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର। ଶ୍ରୀ ମହାପାତ୍ର ଯଦି ମୁଖ୍ୟଶାସନ ସଚିବ ଭାବେ ନିଯୁକ୍ତି ପାଆନ୍ତି, ତେବେ ଉନ୍ନୟନ କମିସନର ଭାବେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ମିଳିବ। ୧୯୮୭ ବ୍ୟାଚ୍ ଆଇଏଏସ୍ ତଥା କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନାମ ଏହି ପଦ ଲାଗି ଚର୍ଚ୍ଚାରେ ରହିଛି।