୨୦୨୦ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅବଧି ନିମନ୍ତେ ଋଣଗ୍ରହିତା ଚକ୍ରବୃଦ୍ଧି ସୁଧ ଛାଡ଼ ପାଇବେ

ମୁମ୍ବାଇ ୨୮।୧୦ : ୬ ମାସିଆ ଋଣ ସ୍ଥଗିତାଦେଶ ଅବଧି ପାଇଁ ସୁଧ ଉପରେ ସୁଧ (ଚକ୍ରବୃଦ୍ଧି ସୁଧ) ଛାଡ଼ ସ୍କିମ୍‌କୁ ଲାଗୁ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ଋଣ ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏଥିରେ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ନଭେମ୍ବର ୫ ସୁଦ୍ଧା ଲୋକଙ୍କ ଖାତାକୁ ସୁଧ ଉପରେ ସୁଧ ଟ୍ରାନ୍ସଫର କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ଅକ୍ଟୋବର ୨୩ରେ ସରକାର ଘୋଷଣା କରିଥିଲେ ଯେ, ସ୍ୱତନ୍ତ୍ର ଋଣ ଖାତା ପାଇଁ ୨୦୨୦ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅବଧି ନିମନ୍ତେ ଋଣଗ୍ରହିତା ଚକ୍ରବୃଦ୍ଧି ସୁଧ ଛାଡ଼ ପାଇବେ । ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ ବକେୟା ଋଣ ୨ କୋଟି ଟଙ୍କାରୁ ଅଧିକ ନ ଥିବା ଖାତା ପାଇଁ ଏହା ଉପଲବ୍ଧ ହେବ । ଫେବ୍ରୁଆରୀ ୨୯ ସୁଦ୍ଧା ଉକ୍ତ ଖାତା ଏନ୍‌ପିଏ(ଅନାଦାୟ ଋଣ ପରିସମ୍ପତ୍ତି ) ଅନ୍ତର୍ଭୁକ୍ତ ହୋଇ ନ ଥିବ । ଗୃହ ଋଣ, ଶିକ୍ଷା ଋଣ, କ୍ରେଡିଟ୍‌ କାର୍ଡ ଋଣ, ଗାଡି ଋଣ, ଏମ୍‌ଏସ୍‌ଏମ୍‌ଇ ଋଣ, ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ ଋଣ ଆଦି କ୍ଷେତ୍ରରେ ଏହା ଲାଗୁ ହେବ । ସ୍କିମ୍‌ ଅନୁସାରେ, ଋଣ ପ୍ରଦାନକାରୀ ସଂସ୍ଥା ଯୋଗ୍ୟ ଋଣଗ୍ରହିତାଙ୍କୁ ଚକ୍ରବୃଦ୍ଧି ସୁଧ ଏବଂ ସାଧାରଣ ସୁଧ ମଧ୍ୟରେ ଥିବା ପ୍ରାର୍ଥକ୍ୟକୁ ସ୍ଥାନାନ୍ତର କରିବେ । ଋଣଗ୍ରହିତା ସମ୍ପୂର୍ଣ୍ଣ ଭାବେ ସ୍କିମ୍‌ର ଲାଭ ଉଠାଇଥାନ୍ତୁ କିମ୍ବା ଆଂଶିକ ଭାବେ ଚକ୍ରବୃଦ୍ଧି ସୁଧ ଛାଡ଼ ପାଇବେ । ତେବେ ଏହି ରାଶିକୁ ପରେ ଋଣ ପ୍ରଦାନକାରୀ ସଂସ୍ଥା କେନ୍ଦ୍ର ସରକାରଙ୍କଠାରୁ ପାଇବେ ।

Reserve Bank of India news today tv

ଅନ୍ୟପକ୍ଷରେ, ନଭେମ୍ବର ୫ ସୁଦ୍ଧା ଲୋକଙ୍କ ଖାତାରେ ଟଙ୍କା ପକାଇବା ପାଇଁ ସରକାର ଋଣ ପ୍ରଦାନକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କିମ୍‌ର ନିୟମାବଳୀ ଅନୁସାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆର୍‌ବିଆଇ ସମସ୍ତ ଋଣ ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସୁଧ ଉପରେ ସୁଧ ଛାଡ଼(ଚକ୍ରବୃଦ୍ଧି ସୁଧ ଛାଡ଼)କୁ ଦୀପାବଳି ପୂର୍ବରୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର୍ଥିକ ସେବା ବିଭାଗ ଚକ୍ରବୃଦ୍ଧି ସୁଧ ଛାଡ଼କୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଗାଇଡ୍‌ଲାଇନ୍‌ ଜାରି କରିଛି ।

ତେବେ ଏହି ଛାଡ଼ ଦ୍ୱାରା ସରକାରଙ୍କ ରାଜକୋଷ ଉପରେ ୬,୫୦୦ କୋଟି ଟଙ୍କାର ବୋଝ ପଡ଼ିବ । ଅକ୍ଟୋବର ୧୪ରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଯେତେ ଶୀଘ୍ର ସମ୍ଭବ ଋଣ ସ୍ଥଗିତାଦେଶ ସ୍କିମ୍‌ ଅନ୍ତର୍ଗତ ଚକ୍ରବୃଦ୍ଧି ସୁଧ ଛାଡ଼ ଲୋକଙ୍କୁ ପ୍ରଦାନ କର । କୋଭିଡ୍‌ ପରିସ୍ଥିତିରେ ସାଧାରଣ ଲୋକଙ୍କ ଦୀପାବଳି ସରକାରଙ୍କ ହାତରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଲକ୍‌ଡାଉନ୍‌ ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା । ଅନେକ ଲୋକ ଋଣ ଇଏମ୍‌ଆଇ ପରିଶୋଧ କରିବା ସ୍ଥିତିରେ ନ ଥିଲେ । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ବ୍ୟାଙ୍କଗୁଡିକ ୬ ମାସ ପାଇଁ ଋଣକର୍ତ୍ତାଙ୍କ ନିମନ୍ତେ ପରିଶୋଧ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ ।

Leave a Reply

Your email address will not be published. Required fields are marked *