ନୂଆଦିଲ୍ଲୀ ୧୨।୧୨ : ୨୦୧୪ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହ ଦାୟୀ। ଏପରି ଚାଞ୍ଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସେ ତାଙ୍କ ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି।
୨୦୧୪ ପରଠାରୁ କଂଗ୍ରେସ ଏକାଧିକ ନିର୍ବାଚନରେ ଲଗାତର ପରାଜିତ ହେବା ପରେ ଦଳ ଏବଂ ଏହାର ଶୀର୍ଷ ନେତୃବୃନ୍ଦ କଡ଼ା ସମାଲୋଚନାର ଶିକାର ହେଉଥିବାବେଳେ ପ୍ରଣବ ମୂଖାର୍ଜୀଙ୍କ ଏହି ପୁସ୍ତକ ଦଳ ଭିତରେ ଥିବା ଅନେକ ଗୁମର କଥା ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି।
ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥିବା ପ୍ରଣବଙ୍କର ଗତ ଅଗଷ୍ଟରେ ପରଲୋକ ଘଟିଛି। ଏହା ପୂର୍ବରୁ ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’କୁ ରୁପା ପବ୍ଲିକେଶନ ଦ୍ବାରା ପ୍ରକାଶ କରିବାକୁ ଯୋଜନା ରହିଛି। ଜାନୁୟାରୀରେ ଏହି ପୁସ୍ତକର ଅନ୍ତିମ ସଂସ୍କରଣ ପ୍ରକାଶ ପାଇବ। ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବାକୁ ଥିବା ପୁସ୍ତକରେ ପ୍ରଣବ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଅତି ଶୋଚନୀୟ ଭାବେ କ’ଣ ପାଇଁ ପରାଜିତ ହେଲା ତାହାର ବିଶ୍ଳେଷଣ କରିଛନ୍ତି।