ସିଆରପିଏଫ ଟିମ୍ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ : ୨ ଯବାନ ସହିଦ, ୫ ଆହତ

ପୁଲଓ୍ୱାମା, ୦୫|୧୦ : ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ବଡ ଧରଣର ଆକ୍ରମଣ କରିଛନ୍ତି । ପୁଲଓ୍ୱାମା କାନ୍ଧୀଜଲରେ ଥିବା ସିଆରପିଏଫର ୧୧୦ ବାଟାଲିୟନ ଓ ଜମ୍ମୁ-କାଶ୍ମୀର ପୋଲିସ ଉପରେ ଏହି ଆକ୍ରମଣ ହୋଇଛି । ଯବାନମାନେ ରୋଡ୍ ଓପନିଂ ଡ୍ୟୁଟିରେ ମୁତୟନ ଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଯବାନମାନଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ ।

ଏହି ଆତଙ୍କବାଦୀ ଆକ୍ରମଣରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୫ଜଣ ଯବାନ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପରେ ଘଟଣାସ୍ଥଳକୁ ପୋଲିସ ଓ ସୁରକ୍ଷାକର୍ମୀ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୁରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ପାଖରୁ ଦୁଇରୁ ତିନିଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ଏହି ଅପରେସନରେ ଜଣେ ଯବାନ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *