ଭୁବନେଶ୍ବର୨୭/୧୦: ରାଜଧାନୀରେ ବଟି ଆଦାୟ କରି ୬ ନକଲି ସାମ୍ବାଦିକ ଗିରଫ । ଏମାନେ ଖଣ୍ଡଗିରି ଅଂଚଳରେ ଥିବା ଏକ ଘିଅ କମ୍ପାନୀ ମାଲିକଙ୍କୁ ଧମକାଇ ୧ଲକ୍ଷ ୬୪ହଜାର ଟଙ୍କା ବଟି ନେଇଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଓ୍ବେବ୍ ଚ୍ୟାନେଲ ଖୋଲି ଏଭଳି କଳା କାରନାମା ଚଳାଇଥିଲେ । ଫେରାର୍ ଆଉ ୩ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।
ତମାଣ୍ଡୋ ଭଗବାନପୁରରେ ଥିବା ଜ୍ୟୋତି ଟ୍ରେଡର୍ସ ନାମକ ତେଲ ଫ୍ୟାକ୍ଟ୍ରିର ମାଲିକଙ୍କୁ ଏମିତି ଧମକ ଚମକ ଦେବା ସହ ବଟି ଆଦାୟ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ୍ ୬ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି।ନକଲି ସମ୍ବାଦିକ ସାଜି ଚଳାଇଥିଲେ ବଟି ଆଦାୟ । ୬ଜଣଙ୍କୁ ମାଡ଼ି ବସିଲା ସ୍ପେଶାଲ ସ୍କ୍ବାର୍ଡ଼ । ପୂଜା ବଜାରରେ ପକେଟ୍ ଗରମ୍ କରିବାକୁ ବୁମ୍, କ୍ୟାମେରା, ଆଇ କାର୍ଡ଼ ଧରି ଚଳାଇଥିଲେ କଳା କାରନାମା । କମିସନରେଟ୍ ପୁଲିସ୍ର ‘ଦାଦାବଟିକୁ ନା’ ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ଦାଦାବଟି ମାଗିବା ଓ ଡକାୟତି ଦଫା ଲାଗିଛି। ସେମାନଙ୍କଠାରୁ ପୁଲିସ୍ ୨୪ହଜାର ୪୫୦ଟଙ୍କା, ଦୁଇଟି କାର୍, ୧୧ଟି ମୋବାଇଲ୍, ୪ଟି ବାଇକ୍, ୬ଟି ନକଲି ସାମ୍ବାଦିକ ପରିଚୟପତ୍ର ଜବତ କରିଛି।
ଅଭିଯୁକ୍ତମାନେ ହେଲେ, ନିଜକୁ ୱେବ୍ପୋର୍ଟାଲ ‘ଟାଇମ୍ସ ଓଡ଼ିଆ’ର ରିପୋର୍ଟର୍ କହୁଥିବା ସମ୍ ହସ୍ପିଟାଲ ପାଖ ହରପାର୍ବତୀ ସାହିରେ ରହୁଥିବା ନୟାଗଡ଼ ତୁଳସୀପୁରର କାହ୍ନୁ ଚରଣ ନାୟକ ଓ ଟଙ୍କପାଣି ରୋଡ୍ରେ ରହୁଥିବା ନୃସିଂହ ବେହେରା, ଆଇଏୱାଇ ନ୍ୟୁଜ୍ର ସାମ୍ବାଦିକ କହୁଥିବା ବଡ଼ଗଡ଼ ଥାନା ରତ୍ନାକର ବାଗ୍ ବାସିନ୍ଦା ବିନାୟକ ବେହେରା, ନିଜକୁ ଭିଜନ ଟିଭିର ସାମ୍ବାଦିକ କହୁଥିବା ବଡ଼ଗଡ଼ ବ୍ରିଟ୍ କଲୋନିରେ ରହୁଥିବା ସାଲେପୁର କଟିକଟାର ବିଶ୍ବରଞ୍ଜନ ମହାନ୍ତି, ଅନନ୍ୟା ନ୍ୟୁଜ୍ର ସାମ୍ବାଦିକ ବୋଲାଉଥିବା ଓଲ୍ଡଟାଉନ୍ ଖରାଖିଆ ଲେନ୍ରେ ରହୁଥିବା ଢେଙ୍କାନାଳ ମିନା ବଜାରର ଲକ୍ଷ୍ମୀକାନ୍ତ ସାହୁ ଓ ଗାଡ଼ି ଚାଳକ ବଡ଼ଗଡ଼ର ବାସିନ୍ଦା ବଳରାମ ବେହେରା। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ଏଭଳି ନକଲି ସାମ୍ବାଦିକ ଫେରାର ଅଛନ୍ତି ବୋଲି ପୁଲିସ କହିଛି।
ସୋସିଆଲ୍ ମିଡିଆରେ ଏମିତି ମାଳ ମାଳ ଓ୍ବେବ୍ ଚାନେଲ ଚାଲିଥିବା ଦେଖିବାକୁ ମିଳୁଛି । ସାମ୍ବାଦିକତା ନାଁରେ କାହାର ବ୍ୟକ୍ତିଗତ ଚରିତ୍ର ସଂହାର କରିବା ବେମତଲବ କାହାକୁ ସୁହାଇଲା ଭଳି ଖବର ପ୍ରସାରଣ କରିବା, ବେଧଡ଼କ ଭାବେ କାହାର ମାନହାନୀ କରିବା ଭଳି ମିଛ ଖବର ପ୍ରସାରଣ କରାଯାଇ ଲୋକଙ୍କୁ ବିଭ୍ରାନ୍ତି କରିବାର ଅପଚେଷ୍ଟା କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ନକଲି ସାମ୍ବାଦିକ ସାଜି ବଟି ଆଦାୟ ଭଳି ଘଟଣା ସାମ୍ନାକୁ ଆସିବା ପରେ ଏସବୁ ଓ୍ବେବ୍ ଚାନେଲ୍ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇବା ଜରୁରୀ ହୋଇପଡ଼ିଛି ।