ଫୁଲବାଣୀ , ୨୩/୧୦: ଷ୍ଟାଫ୍ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ବର୍ତ୍ତମାନ କନ୍ଧମାଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘର ଲୋକଙ୍କ ବିରୋଧ ସତ୍ତ୍ବେ ମୌସୁମୀ ପ୍ରେମ ବିବାହ କରିଥିଲେ। ସେ ନିଜ ବାପଘର ସହ ସଂପର୍କ ତୁଟାଇ ଏକ ବର୍ଷ ଝିଅ ଏବଂ ସ୍ବାମୀ ସହ ରହୁଥିଲେ। ହେଲେ ହଠାତ୍ ମୌସୁମୀ ବେକରେ ରଶି ଲଗାଇ ଆତ୍ମହତ୍ୟା ଘଟଣାକୁ ତାଙ୍କ ସହକର୍ମୀମାନେ ହଜମ କରୁପାରୁ ନାହାନ୍ତି।ପ୍ରତିଦିନ ଭଳି ସେହିଦିନ ବି ରାତି ୮ଟାରେ ସେ ଡ୍ୟୁଟିକୁ ବାହାରିଥିଲେ। ହେଲେ ଏମିତି ହଠାତ୍ କଣ ହେଲା ଯେ, ମୌସୁମୀ ଆତ୍ମହତ୍ୟା କରି ଦେଲେ। କୁହାଯାଉଛି ଯେ, ଡ୍ୟୁଟିକୁ ବାହାରିବା ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ହେଲେ ଏତେ କମ୍ ସମୟ ମଧ୍ୟରେ ମୌସୁମୀ ଏଭଳି ଚରମ ନିଷ୍ପତ୍ତି କିପରି ନେଲେ। ସ୍ବାମୀଙ୍କ ଉପସ୍ଥିତିରେ ସେ ବେକରେ ରଶି ଲଗାଇଥିଲେ କି? ଯଦି ନା ତେବେ ଏତେ କମ୍ ସମୟରେ, ସେ କେମିତି ଆତ୍ମହତ୍ୟା କଲେ? ଯଦି ହଁ ସ୍ବାମୀ ତାଙ୍କୁ କାହିଁକି ପ୍ରତିବାଦ କଲେ ନାହିଁ। ମୌସୁମୀଙ୍କ ସହକର୍ମୀଙ୍କ କଥା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି, ସେମାନେ କହିଛନ୍ତି, ସେ ଜଣେ ଭଲ କର୍ମଚାରୀ ଥିଲେ, ସେ କେବେ ଆତ୍ମହତ୍ୟା କରିବେ ନାହିଁ। ତାଙ୍କୁ ହତ୍ୟା କରାଯାଇଛି।
ସେମାନେ ଏପରି କହିବାର କାରଣ କିଛି ଥାଇପାରେ, କାହିଁକି ନା ଯେହେତୁ, ସେମାନେ ମୌସୁମୀଙ୍କ ସହକର୍ମୀ, ସେ ନିଶ୍ଚିତ ଭାବେ ସେମାନଙ୍କ ସହ ଦୁଃଖସୁଖ ସେୟାର କରୁଥିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ମତାମନ୍ତର କଥା ନିଶ୍ଚିତ କହିଥିବେ। ଘରେ ଏକ ବର୍ଷର ଝିଅକୁ ଛାଡି ଚାଲିଯିବା କଥା ସେ କେବେ ଚିନ୍ତା କରି ପାରିବେ ନାହିଁ ବୋଲି ସହକର୍ମୀମାନେ କହିଛନ୍ତି।ଏପରି କି ମୌସୁମୀ ପ୍ରେମ ବିବାହ କରିବା ପରେ ନିଜ ବାପଘର ସହ କୌଣସି ସଂପର୍କ ରଖି ନଥିଲେ। ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ମଧ୍ୟ ଏତଲା ଦିଆଯାଇ ନାହିଁ। ତେବେ ପ୍ରକୃତ ଦୋଷୀ କିଏ? ସେ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।ସୂଚନାଥାଉକି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ଫୁଲବାଣୀରେ ଜିଏନ୍ଏମ୍ ତାଲିମ ନେଇ ଫୁଲବାଣୀ ଡାକ୍ତରଖାନାରେ ଚାକିରି କରୁଥିଲେ । ସେ ଫୁଲବାଣୀର ରମାନାଥ ଦାସଙ୍କୁ ବିବାହ କରିଥିଲେ । ତାଙ୍କର ଏକ ବର୍ଷର ଝିଅ ଅଛି ।