କଳିଙ୍ଗ ଖବର ,କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦, ଡିସେମ୍ବର ୧୪ରେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଡିସେମ୍ବର ୩୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।