ନୂଆଦିଲ୍ଲୀ ,୨୨।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଧିରେ ଧିରେ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ରାଜନୈତୀକ ବିରୋଧୀମାନେ ପରସ୍ପରକୁ ଘେରିବାରେ ଲାଗିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ବାରାକ ଓବାମା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଓବାମା କହିଛନ୍ତି, ଜଣେ ବ୍ୟକ୍ତି ଯିଏ କରୋନାରୁ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ ହୋଇଛନ୍ତି, ସେ ଜନତାଙ୍କୁ କିପରି ଏଭଳି ମହାମାରୀରୁ ରକ୍ଷା କରିବେ?
ଓବାମା ଆହୁରି କହିଛନ୍ତି ଯେ, ଆମେ ୮ ମାସ ଧରି କରୋନା ଭାଇରସ୍ ମହାମାରୀ ସହ ସଂଗ୍ରାମ କରୁଛୁ। ଦେଶରେ ପୁଣି ଥରେ ପରିବର୍ତ୍ତନ ହେଉଛି। ଡୋନାଲ୍ଡ ଟ୍ରମ୍ପ ଏହି ମହାମାରୀରୁ ଆମ ସମସ୍ତଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ହୋଇଛନ୍ତି। ସେ ନିଜକୁ ମଧ୍ୟ ଏଥିରୁ ରକ୍ଷା କରିବାରେ ଅସମର୍ଥ ହୋଇଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଓବାମା ଟ୍ରମ୍ପଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ଏହା ଏକ ରିଏଲିଟି ସୋ ନୁହେଁ, ବରଂ ଏକ ବାସ୍ତବତା।ଚଳିତଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍ଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ନଭେମ୍ବର ୩ରେ ମତଦାନ ପୂର୍ବରୁ ଟ୍ରମ୍ପ୍ ଏବଂ ବିଡେନ୍ଙ୍କ ମଧ୍ୟରେ ତିନିଟି ବଡ଼ ବିତର୍କ ହେବାକୁ ସ୍ଥିର ହୋଇଥିଲା। ଏହି ବିତର୍କ ମାଧ୍ୟମରେ ଦୁଇ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି। ଗତ ସେପ୍ଟେମ୍ବର ୨୯ରେ ଓହିଓର କ୍ଲିଭଲ୍ୟାଣ୍ଡର ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭର୍ସିଟିଠାରେ ଟ୍ରମ୍ପ୍ ଏବଂ ବାଇଡେନ୍ଙ୍କ ମଧ୍ୟରେ ପ୍ରଥମ ବିତର୍କ ଅନୁଷ୍ଠିତ ହୋଇଥିଲା। ଏହି ବିତର୍କ ପାଖାପାଖି ୯୦ ମିନିଟ୍ କାଳ ଧରି ଚାଲିଥିଲା।