ନୂଆଦିଲ୍ଲୀ ୨୮/୧୦: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଖୁବଶୀଘ୍ର ବଡ଼ ପରଦାରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଶ୍ରୀଦେବୀଙ୍କ ଭଳି ଶ୍ରଦ୍ଧା ମଧ୍ୟ ଇଚ୍ଛାଧାରୀ ‘ନାଗିନ୍’ ଭୂମିକାରେ ନଜର ଆସିବେ। ଫିଲ୍ମନିର୍ମାତା ନିଖିଳ ଦ୍ବିବେଦୀ ‘ନାଗିନ୍’ ଉପରେ ଆଧାରିତ ଆଉ ଏକ ଫିଲ୍ମର ପ୍ରସ୍ତୁତି ଚଳାଇଛନ୍ତି। ଯାହାକୁ ତିନିଟି ପର୍ଯ୍ୟାୟରେ ସୁଟିଂ କରାଯିବ। ଏ ନେଇସେ ଟ୍ବିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି।
ଶ୍ରଦ୍ଧା ମଧ୍ୟ ଏ ଫିଲ୍ମ ପାଇଁ ସହମତି ପ୍ରକାଶ କରିଛନ୍ତି। ଏ ପାଇଁ ମଧ୍ୟ ସେ ବେଶ୍ ଉତ୍ସାହିତ ଅଛନ୍ତି। ଫିଲ୍ମକୁ ନେଇ ସେ କହିଛନ୍ତି ‘ନାଗିନ୍’ ଫିଲ୍ମରେ ସେ ଶ୍ରୀଦେବୀଙ୍କୁ ଦେଖିଥିଲେ। ଯେଉଁ ଚରିତ୍ରରେ ସେ ପ୍ରାରମ୍ଭରୁ ନଜର ଆସିବାକୁ ଚାହୁଁଥିଲେ। ଶ୍ରୀଦେବୀଙ୍କ ‘ନାଗିନ୍’ ଓ ନିଗାହେଁ’ ଫିଲ୍ମର ସେ ପ୍ରଶଂସା ଶୁଣିଥିଲେ ଓ ଆଉ ତାକୁ ଦେଖି ବଡ଼ ହୋଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଫିଲ୍ମଟି ପ୍ରେମ କାହାଣୀ ଉପରେ ଆଧାରିତ। ଯାହାକୁ ସ୍ପେଶାଲ ଇଫେକ୍ଟ ସହ ତିନି ପର୍ଯ୍ୟାୟରେ ସୁଟିଂ କରାଯିବା ନିଷ୍ପତ୍ତି ହୋଇଛି।
ଅବଶ୍ୟ ଏ ଯାଏଁ ଫିଲ୍ମର ଶୀର୍ଷକ ଫାଇନାଲ ହୋଇ ନାହିଁ।ସୂଚନାଯୋଗ୍ୟ ବଡ଼ ପରଦାରେ ଶ୍ରୀଦେବୀଙ୍କ ବ୍ୟତୀତ ରେଖା, ରୀନା ରାୟଙ୍କ ଭଳି ବଡ଼ ବଡ଼ ଅଭିନେତ୍ରୀ ‘ନାଗିନ୍’ ଚରିତ୍ରରେ ନଜର ଆସିସାରିଛନ୍ତି। ତେବେ ସେ ଯାହା ହେଉ ନା କାହିଁକି ଶ୍ରଦ୍ଧାଙ୍କ ପାଇଁ ଏହା ହେଉଛି ଏକ ବଡ଼ ଅବସର। ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ରେ ମଧ୍ୟ ତାଙ୍କ ଚରିତ୍ର ଭିନ୍ନ ଥିଲା।