ବୌଦ୍ଧ ,୨୯/୦୯: ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୋଲିସ୍।ସୂଚନା ଅନୁଯାୟୀ, ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ୍, ପତ୍ନୀଙ୍କୁ କଟକ ଯାଉଥିବା କହି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ କଟକ ନଯାଇ ଝାରସୁଗୁଡାରେ ନିଜ ବାନ୍ଧବୀଙ୍କ ସହ ବୁଲୁଥିବା ଖବର ପାଇ ପିଛାକରିଥିଲେ ପତ୍ନୀ ଡାଲିଆ ଦେବନାଥ । ସେ ବି ତାଙ୍କ ପଛରେ ଆସି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ ବାଗ ମହିଳାଙ୍କ ପାଖରେ ଏକ ବେଡ୍ରେ ଗଡୁଥିବା ଦେଖି ପତ୍ନୀଙ୍କ ପାରା ମୁଣ୍ଡକୁ ଚଢି ଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଡାଲିଆ ଦେବନାଥ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ପତି ଶରତ ବାଗ୍, ତାଙ୍କ ବାନ୍ଧବୀ, ପତିଙ୍କ ଜଣେ ସଂପର୍କୀୟ ଓ ତାଙ୍କର କିଛି ବନ୍ଧୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ ।
ତେବେ କୌଶଳକ୍ରମେ ଡାଲିଆ ସେଠାରୁ ଖସିଆସି ବିଟିଏମ୍ ଫାଣ୍ଡିରେ ଏତଲା ଦେବା ସହ ଏସପିଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ | ତେବେ ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା । ପୂର୍ବରୁ ଶରତ ବାଗ୍ ବଲାଙ୍ଗିରରେ ଅବସ୍ଥାପିତ ଥିବାବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇ ହେଉଥିଲା । ଏନେଇ ଏକ ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି । ବର୍ତ୍ତମାନ ଡାଲିଆ ନିଜର ୩ ଝିଅଙ୍କ ସହ ବାପା ମା ଙ୍କ ନିକଟରେ ରହୁଛନ୍ତି । ୩ଟି ଝିଅ ଜନ୍ମ କରିବାରୁ ଓଏଏସ୍ ଅଧିକାରୀ ପତି, ସ୍ତ୍ରୀକୁ ନିର୍ଯାତନା ଦେବାସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଅଭିଯୋଗ ଉଠିଛି ।
ଏହି ଘଟଣାକୁ ନେଇ ଡେପୁଟି କଲେକ୍ଟର ଶରତ ବାଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପରକିୟା ପ୍ରୀତି ଘଟଣା ଝାରସୁଗୁଡା ସମେତ ବୌଦ୍ଧରେ ବେଶ ଚର୍ଚ୍ଚିତ ହୋଇଛି ।