ନୟାଗଡ଼ ୨୮।୧୦: ନୟାଗଡ଼ରେ ବେଶ୍ ନିର୍ଦ୍ବନ୍ଦରେ ଚାଲିଛି ବାଲ୍ୟ ବିବାହ। ଜିଲ୍ଲା ପ୍ରଶାସନ ତଥା ପ୍ରତି ବ୍ଲକରେ ନିଯୁକ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଭାବେ କାର୍ଯ୍ୟ କରୁଥିବା ସିଡିପିଓମାନଙ୍କ ନିଷ୍କ୍ରିୟତା ଆଇନ ଉଲ୍ଲଂଘନ କରୁଥିବା ଅଭିଭାବକକୁ ସୁଯୋଗ ଆଣିଦେଇଛି। ଏପରିକି ନୟାଗଡ଼ ଜିଲ୍ଲା ବାଲ୍ୟବିବାହ ବିରୋଧୀ ଆଇନର ପ୍ରଭାବ ଦେଖିବାକୁ ମିଳୁନଥିବାରୁ ଏହି ଆଇନକୁ ମଧ୍ୟ କେହି ଖାତିର କରୁନାହାନ୍ତି। କରୋନା କଟକଣା , ଲକ୍ଡାଉନ୍ ଭଳି ସମୟରେ ସାଧାରଣ ବିବାହ ବା ଆଇନ ସମ୍ମତ ବିବାହ ଆୟୋଜନ କରିବାକୁ ଲୋକ ସାହାସ କରି ପାରିନାହାନ୍ତି। ଅନେକ ବିବାହ ମଧ୍ୟ ଘୁଞ୍ଚାଇ ଦେଇଛନ୍ତି। କିନ୍ତୁ ଏଭଳି କଟକଣା ସମୟରେ ଅର୍ଥାତ୍ ଗତ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ୩୬ ଟି ବାଲ୍ୟବିବାହ ଆୟୋଜନ କରାଯାଇଛି। ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ପହଞ୍ଚି ଏହାକୁ ବନ୍ଦ କରିଛନ୍ତି। ହେଲେ ସିଡିପିଓମାନେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଇଛନ୍ତି।
ଏହି ସମସ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲ୍ଡ ହେଲ୍ପ ଲାଇନ୍ ନମ୍ବରରେ ସାଧାରଣ ଲୋକ ଖବର ଦେବା ପରେ ବନ୍ଦ କରାଯାଇଛି। କିନ୍ତୁ ଅନେକ ବାଲ୍ୟ ବିବାହ ସମ୍ପନ୍ନ ହୋଇଛି ଯାହାର ଖବର କାହାରି ପାଖରେ ନାହିଁ। ୩୬ଟି କେବଳ ନଜରକୁ ଆସିଛି। ପ୍ରଥମତଃ ବାଲ୍ୟ ବିବାହ ବେଆଇନ ହୋଇଥିବା ବେଳେ, କରୋନା କଟକଣା ସମୟରେ ବହୁ ଲୋକ ଏକାଠି ହୋଇ ଏଭଳି ବିବାହର ଆୟୋଜନ କରିବା ଆଉ ଏକ ଅପରାଧ। କିନ୍ତୁ ନୟାଗଡ଼ ଜିଲ୍ଲାରେ ଏଥିନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ନିୟମ ପରେ ନିୟମ ଭଙ୍ଗାଯାଇଛି।
ଏହି ୩୬ଟି ବାଲ୍ୟ ବିବାହ ବନ୍ଦ ମଧ୍ୟରେ ଓଡ଼ଗାଁରେ ୬ଟି, ଖଣ୍ଡପଡ଼ାରେ ୧୦ଟି, ଦଶପଲ୍ଲାରେ ୪ଟି, ରଣପୁରରେ ୫, ନୟାଗଡ଼ରେ ୩, ନୂଆଗାଁ, ଗଣିଆ, ଭାପୁର ବ୍ଲକରେ ଗୋଟିଏ ଲେଖାଏଁ ବାଲ୍ୟ ବିବାହ ବନ୍ଦ କରାଯାଇଛି। କିଛି ଜାଗରୁ ଫୋନ୍ ଆସିଥିଲେ ମଧ୍ୟ ସେ ସମ୍ପର୍କରେ ବିଶେଷ ସୁରାକ ମିଳିନଥିବାରୁ ସେ ସବୁ ସବୁ ବାଲ୍ୟ ବିବାହ ସମ୍ପର୍କରେ କିଛି ସୂଚନା ମିଳିନଥିବା ଜଣାପଡ଼ିଛି।