ଧରାବତରଣ କରିବେ ମା’ ଜଗଜ୍ଜନନୀ। ଗତକାଲି ପୀଠରେ ଷଷ୍ଠୀ ହୋଇଥିବା ବେଳେ ଆସନ୍ତାକାଲି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ

ଭୁବନେଶ୍ୱର ୨୨/୧୦ : ଧରାବତରଣ କରିବେ ମା’ ଜଗଜ୍ଜନନୀ। ଗତକାଲି ପୀଠରେ ଷଷ୍ଠୀ ହୋଇଥିବା ବେଳେ ଆସନ୍ତାକାଲି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ମୃଣ୍ମୟୀ ଦେବୀ ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ସରିଛି। କରୋନା କଟକଣା ମଧ୍ୟରେ ମା’ଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମା’ଙ୍କୁ ଆରଧନା କରାଯିବ। ପାଞ୍ଜି ଅନୁଯାୟୀ, ଅକ୍ଟୋବର ୨୨ ତାରିଖ ଗୁରୁବାର ଆଶ୍ୱିନ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥି। ଏହା ନବରାତ୍ରର ଷଷ୍ଠ ଦିନ। ନବରାତ୍ରର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ସମର୍ପିତ। ନବରାତ୍ର ଷଷ୍ଠୀ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରିବା ବିଧି ରହିଛି। ମା’ କାତ୍ୟାୟନୀ ମହିଷାସୁର ବଧ କରିଥିଲେ। ସେଥିପାଇଁ ମା’ଙ୍କୁ ଅସୁର, ଦାନବ ଓ ପାପୀଙ୍କ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତି ନିଜ ଇନ୍ଦ୍ରିୟକୁ ବସ କରିବାକୁ ଶକ୍ତି ପ୍ରାପ୍ତ କରିଥାଏ ବୋଲି ବିଶ୍ୱାସ ରହିଛି।

ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଇବେ ମା’। କଟକଣା କାରଣରୁ ରାଜଧାନୀର ସମସ୍ତ ପୂଜା କମିଟି ପକ୍ଷରୁ କଳସ ଯାତ୍ରାକୁ ବାଦ୍‌ ଦିଆଯାଇଛି। ଭକ୍ତମାନେ ଏଥର ମା’ଙ୍କ ଦର୍ଶନରୁ ବଞ୍ଚିିତ ହେବେ।ଗତବର୍ଷ ଏହି ସମୟରେ ଚଳଚଞ୍ଚଳ ହେଉଥିଲା ରାଜଧାନୀ। ସମ୍ପୂର୍ଣ୍ଣ ସହରରେ ଲାଗୁଥିଲା ଗହଳି ଚହଳି। ବଜାରରେ ଜମୁଥିଲା ଗ୍ରାହକଙ୍କ ଭିଡ଼। ପୂଜା ମଣ୍ଡପରେ ଶୋଭା ପାଉଥିଲା ବିରାଟ ତୋରଣ। ମା’ଙ୍କ ଆବାହନରେ ଗଗନ ପବନ ପୁଲକିତ ​‌‌ହେଉଥିଲା। ହେଲେ ଏଥର କିନ୍ତୁ ଚିତ୍ର ପୂରା ବଦଳିଯାଇଛି। ନା ଉତ୍ସାହ ଅଛି ନା ପ୍ରସ୍ତୁତି। ସବୁରି ମନରେ କରୋନାର ଭୟ। ପୂଜା ମଉଜରେ ଗ୍ରହଣ ଲଗାଇଛି ମହାମାରୀ। ରାଜଧାନୀରେ ପ୍ରତିବର୍ଷ ୧୮୦ ମଣ୍ଡପ ପୂଜା କରାଯାଉଛି। ଅଧିକାଂଶ ମଣ୍ଡପରେ ମା’ ପୂଜା ପାଉଥିଲେ। ମା’ଙ୍କ ଦର୍ଶନ ଲାଗି ସବୁ ମଣ୍ଡପ ସାମ୍ନାରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ମା’ଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିବେ। ସୀମିତ ପୂଜକ ଏବଂ କାର୍ଯ୍ୟକର୍ତ୍ତାରେ ପୂଜା କରାଯିବ।

ସହିଦନଗର, ଝାରପଡ଼ା, ବମିଖାଲ, ରସୁଲଗଡ଼, ନୂଆପଲ୍ଲୀ , ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁର, ଚକେଇସିଆଣି, ବରମୁଣ୍ଡା, ବରଗଡ଼, ଷ୍ଟେସନବଜାର, ଲକ୍ଷ୍ମୀସାଗର ବ୍ୟବସାୟୀସଂଘ, ଏକନମ୍ବର ହାଟ ପ୍ରଭୃତି ଦୁର୍ଗାପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ମା’ଙ୍କ ଅଳଙ୍କାର ଏବଂ ସାଜସଜ୍ଜାକୁ ନେଇ ପ୍ରତ୍ୟେକ ବର୍ଷ ଲାଗି ରହୁଥିବା ପ୍ରତିଯୋଗିତା ଏଥର ଦେଖିବାକୁ ମିଳିବ ନାହିଁ । ନିରାଡ଼ମ୍ବର ଭାବେ ମା’ଙ୍କ ପୂଜା କରାଯାଉଥିବା ଆୟୋଜନମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *