ଦୁର୍ଗା ପୂଜାରେ ସାମିଲ ହେଲେ ନରେନ୍ଦ୍ର ମୋଦି, ଶଙ୍ଖଧ୍ବନିରୁ କାର୍ଯ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ ୨୨/୧୦: କରୋନା କାଳରେ ପଶ୍ଚିମବଙ୍ଗରେ ଆଜିଠାରୁ ପାଞ୍ଚଦିନିଆ ଦୁର୍ଗା ପୂଜା ସମାରୋହ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗବାସୀଙ୍କ ପାଇଁ ଦୁର୍ଗା ପୂଜାର ଶୁଭେଚ୍ଛା ବାର୍ତା ଜାରି କରିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭ ଶଙ୍ଖଧ୍ବନିରୁ ହୋଇଛି। ଭିଡ଼ିଓ କନଫରେନ୍ସି ମାଧ୍ୟମରେ ‘ପୂଜୋର ଶୁଭେଚ୍ଛା’ ନାମକ କାର୍ଯ୍ୟକ୍ରମରେ ଏହି ବାର୍ତା ଦେଇଛନ୍ତି।

ଏହି ଅବସରରେ କଲିକତାର ସଲ୍ଲ ଲେକରେ ନିର୍ମିତ ଦୁର୍ଗା ପୂଜା ପେଣ୍ଡାଲର ଉଦଘାଟନ କରିଛନ୍ତି। ସେ କହିଛନ୍ତି ଏହା ଏମିତି ଏକ ପର୍ବ ଯେଉଁଥିରେ ପୂରା ଦେଶ ବଙ୍ଗଳାମୟ ହୋଇଯାଏ। ତେବେ ଏଥର କରୋନା ଯୋଗୁ କରୋନା ଗାଇଡଲାଇନ ସହ ଦୁର୍ଗା ପୂଜା ପାଳନ କରାଯିବ। ଏହା ପରେ ମଧ୍ୟ ଉତ୍ସବ ମାହୋଲ କିଛି ଅଲଗା ପ୍ରକାର ରହିଛି।

ରାଜ୍ୟ ବିଜେପି ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ବିଶେଷ ବନ୍ଦୋବସ୍ତ କରିଛନ୍ତି। ଏହା ସହ ମୋଦିଙ୍କ କାର୍ଯ୍ୟକ୍ରମ ଲାଇଭ ପ୍ରସାରଣ କରିବା ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନିର୍ବାଚନୀ ବୁଥରେ ଟିଭି ସ୍କ୍ରିନ ଲଗା ହୋଇଛି। ଅର୍ଥାତ ସମୁଦାୟ ୭୮ ହଜାର ପୋଲିଂ ବୁଥରେ ଟିଭି ସ୍କିନ୍ ଲାଗିଛି। ଦୁଇ ଘଣ୍ଟା ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଯେଉଁଥିରେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ନୃତ୍ୟ ପରିବେଷଣ କରିବେ।

ମୋଦି ପୂଜାରେ ସାମିଲ ହେବା ପୂର୍ବରୁ ଟ୍ବିଟ୍ କରି କହିଥିଲେ ଦୂର୍ଗା ପୂଜା ଏକ ପବିତ୍ର ଅବସର। ଏଥିରେ ଅନ୍ୟାୟ ଉପ​‌ରେ ନ୍ୟାୟର ବିଜୟ ହୋଇଥାଏ। ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିଥାଉ ଯେ ଆମକୁ ଶକ୍ତି, ସୁଖ ଓ ଉତ୍ତମ ସ୍ବାସ୍ଥ୍ୟର ଆଶୀର୍ବାଦ ପ୍ରଦାନ କରନ୍ତୁ। ଏହା ସହ ସେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ପବିତ୍ର ଷଷ୍ଠିରେ ସାମିଲ ହେବେ କହିଥିଲେ।

ସୂଚନାଯୋଗ୍ୟ ଏବେ ସୁଦ୍ଧା କଲିକତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୦ ଦୁର୍ଗା ପୂଜା ପେଣ୍ଡାଲର ଉଦଘାଟନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିସାରିଛନ୍ତି। ସେହିପରି ୧୨-୧୩ଟି ପେଣ୍ଡାଲରେ ସେ ନିଜେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *