ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟ ଅନୁସାରେ ବର୍ତ୍ତମାନ ସାରା ବିଶ୍ୱ ଗତ ଶହେ ବର୍ଷର ସବୁଠାରୁ ଭୟଙ୍କର ଅର୍ଥନୈତିକ ପରିସ୍ଥିତି ମଧ୍ୟଦେଇ ଗତି କରୁଛି। ଏହାଦ୍ୱାରା ୧୭୦ଟି ରାଷ୍ଟ୍ରର ସାଧାରଣ ନାଗରିକମାନଙ୍କ ମୁଣ୍ଡପିଛା ଆୟ ପ୍ରଭାବିତ ହେବ। ଆମ ଦେଶରେ ଜାତୀୟ ପରିସଂଖ୍ୟାନ ସଂସ୍ଥାର ସଦ୍ୟତମ ତ୍ରୟମାସିକ (ଅପ୍ରିଲ୍-ଜୁନ୍)ରିପୋର୍ଟ ଅନୁସାରେ ଦେଶର ଅର୍ଥନୀତି ହାର ଏହି ସମୟ ମଧ୍ୟରେ ୨୩.୯% ତଳକୁ ଖସିଛି। ଦେଶର ନିର୍ମାଣ କ୍ଷେତ୍ରରେ ୫୦.୩%, ହୋଟେଲ- ଯୋଗାଯୋଗ- ପରିବହନ ୪୭%, ଉତ୍ପାଦନ ୨୯.୩%ହ୍ରାସ ପାଇଛି। ଏହା ଦେଶର ଅର୍ଥଶାସ୍ତ୍ରୀ, ଯୋଜନା ପ୍ରଣୟନକାରୀ, ବିତ୍ତୀୟ ଅନୁଷ୍ଠାନଠାରୁ ଆରମ୍ଭ କରି ରାଜନେତା ତଥା ସବୁ ଗଣମାଧ୍ୟମର ଆଲୋଚ୍ୟର ପ୍ରସଙ୍ଗ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ଲକ୍ଡାଉନ୍, ସଟ୍ଡାଉନ ପ୍ରକ୍ରିୟା ଯୋଗୁଁ ବୃହତ୍ ଶିଳ୍ପ ଅନୁଷ୍ଠାନଠାରୁ କ୍ଷୁଦ୍ରଖୁଚୁରା ବ୍ୟବସାୟୀ, ତୀର୍ଥସ୍ଥଳୀ, ସଭାସମିତି, ଗମନାଗମନ ସବୁ ବନ୍ଦ ହୋଇ ଯିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି।ଲକ୍ଡାଉନ୍ ପରବର୍ତ୍ତୀ ଅବସ୍ଥାରେ ଦେଶର ବିଭିନ୍ନ କୋଣରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷଲକ୍ଷ ଶ୍ରମିକମାନଙ୍କ ସ୍ୱଗୃହ ପ୍ରତ୍ୟାବର୍ତ୍ତନ, ଦେଶର ଅର୍ଥନୈତିକ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରାଇଛି। ଏ ସବୁ ସହିତ ସରକାରଙ୍କର କରୋନା ମହାମାରୀ ପ୍ରତି ଗୁରୁତ୍ୱଦେଇ ଅର୍ଥନୈତିକ କାର୍ଯ୍ୟକ୍ରମ ପ୍ରତି ଉଦାସୀନତା ପରିସ୍ଥିତିକୁ ଆହୁରି ଜଟିଳ କରାଇଛି। ଏଠାରେ ପ୍ରଣିଧାନଯୋଗ୍ୟ ଯେ ଦେଶର ଘରୋଇ ଉତ୍ପାଦକୁ ସିଂହଭାଗ ପ୍ରଦାନ କରୁଥିବା ସେବା (୫୩.୩୩%), ଶିଳ୍ପ (୨୪.୮୮%) କ୍ଷେତ୍ରର ଏପରି ଅବସ୍ଥା ଦେଖି ଆମ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ପାଞ୍ଚଦଶନ୍ଧିର ସର୍ବନିମ୍ନକୁ ଖସିଯିବ ବୋଲି ଖୋଦ୍ ରିଜର୍ଭ ବ୍ୟାଙ୍କ ଅନୁମାନ କଲାଣି। ଏହାକୁ ପ୍ରତିହତ କରିବାକୁ ସରକାରଙ୍କ ସୁଧହାର ଯୋଜନା, ଆତ୍ମନିର୍ଭରଶୀଳ ଭାରତ, ମେକ୍ ଇନ୍ ଇଣ୍ଡିଆ ଯେ ଯଥେଷ୍ଟ ହୋଇପାରୁ ନାହିଁ; ଆମେ ଅନୁଭବ କଲେଣି।
ଜାତୀୟ ଅର୍ଥନୀତିର ଏପରି ଦୁର୍ଦିନ ସମୟରେ କେବଳ ଆମ କୃଷିକ୍ଷେତ୍ର ହିଁ ଆମ ପାଇଁ ସମ୍ଭାବନାର ଆଲୋକ ଦେଖାଇଛି। ସବୁ ଘାତପ୍ରତିଘାତ ସହି, ଅର୍ଥନୀତିର ସର୍ବନିମ୍ନ ସ୍ଥାନରେ ରହି, ଖଟିଖିଆ ମଜୁରିଆ ଗାଉଁଲି ଲୋକଙ୍କ ପେସା ଭାବେ ପରିଚିତ କୃଷିକ୍ଷେତ୍ର ଦେଶର ଏକମାତ୍ର ନିର୍ଭରଯୋଗ୍ୟ ଅର୍ଥନୈତିକ ଶକ୍ତି କେନ୍ଦ୍ର ବୋଲି ବିବେଚିତ ହୋଇଛି।
କୃଷିକ୍ଷେତ୍ର ପୃଷ୍ଠପୋଷକତା କରୁଥିବା ଦେଶର ୧୪.୫ କୋଟି ପରିବାର ଜାତୀୟ ଅର୍ଥନୀତିର ଏପରି ଦୁର୍ଦିନ ସମୟରେ କ୍ଷତିଗ୍ରସ୍ତ ହୋଇନାହାନ୍ତି; ସେମାନେ ମଧ୍ୟ ଜୁଲମର ଶିକାର ହୋଇଛନ୍ତି। ନିଜ ଉତ୍ପାଦିତ ଦ୍ରବ୍ୟକୁୁ ଲକ୍ଡାଉନ ବେଳେ ଜମିରେ ନଷ୍ଟ ହେବାର ଦେଖି ଦୁଃଖିତ ହୋଇଛନ୍ତି। ଶହଶହ ଏକର ପନିପରିବା, ତରଭୁଜ, ପାଚିଲା କଦଳୀ ବଜାରକୁ ନଯାଇପାରି ଶଢ଼ିବାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଛି; କିନ୍ତୁ ଦେଶର ଶହେ ତିରିଶକୋଟି ଜନତାଙ୍କୁ ଖାଦ୍ୟାଭାବର ଅଭିଯୋଗ କରିବାକୁ ସୁଯୋଗ ଦେଇନାହାନ୍ତି । ଏହା ଚାଷୀର ଦୃଢ଼ ମନୋବଳ ଓ ଅଦମ୍ୟ ସାହସକୁ ଇଙ୍ଗିତ କରୁଛି।
କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ପରିବାର ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କେନ୍ଦ୍ର ସରକାର ଇତି ମଧ୍ୟରେ ଏକଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ଯୋଜନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ହେଉ ବା ଆମ ରାଜ୍ୟର କାଳିଆ, ବଳରାମ ଯୋଜନା ହେଉ ଏତିକି କ’ଣ ଯଥେଷ୍ଟ ଗୋଟିଏ କୃଷକ ପରିବାର ପାଇଁ? ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କ’ଣ ବାନ୍ଧିପାରିବ କୃଷକ ପରିବାରର ପଢ଼ୁଆ ପୁଅକୁ ଚାଷ ଜମିରେ। ଯଦି ଏ ସବୁରେ କୃଷକ ଖୁସି ଥାଆନ୍ତା, ତା’ ପୁଅକୁ ସେ ପୁଣି ପ୍ରବାସୀ ଶ୍ରମିକ ହେବାକୁ ପଠାନ୍ତା ନାହିଁ ଦୂର ପ୍ରଦେଶକୁ। ଚାଷୀ ଚାହେଁ ତା’ ସବୁ ଫସଲ ପାଇଁ ବୀମା, ସବୁ ଜମିକୁ ଜଳ, ସବୁ ଉତ୍ପାଦକୁ ମୂଲ୍ୟ। ସମସ୍ତଙ୍କ ମୁହଁକୁ ଖାଦ୍ୟ ଯୋଗାଡ଼ୁଥିବା ଯୋଦ୍ଧାମାନଙ୍କର ଏତିକି ଦାବି କ’ଣ ନ୍ୟାୟସଂଗତ ନୁହେଁ?