ନୟାଗଡ଼ ,୨୨।୧୦: ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ସହରର ଛାତି ଉପରେ ଦୀର୍ଘ ବର୍ଷ ହେବ ନକଲି ନୋଟ୍ କାରବାର ଚଳାଇଥିବା ଜଣେ ବ୍ୟକ୍ତି ଆଜି ନିଜ ଜାଲରେ ନିଜେ ଫସି ଯାଇଛି। ଏହି ନକଲି ନୋଟ୍ ପ୍ରସ୍ତୁତକର୍ତ୍ତା ଦିବ୍ୟରଞ୍ଜନ ହୋତା(୪୨)କୁ ପୁଲିସ ଗିରଫ କରିବା ସହିତ ତା’ ନିକଟରୁ ୨୫୦ଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି। ଏହି ଘଟଣାରେ ଅନ୍ୟ ଜଣକୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଦିବ୍ୟରଞ୍ଜନ ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ଭଡ଼ାରେ ରହୁଥିବା ବେଳେ, ତା’ ଘର ଖଣ୍ଡପଡ଼ା ବ୍ଲକ୍ କୋସ୍କାର ଶରଧାପୁର ବୋଲି ଜଣାପଡ଼ିଛି।

ପୁଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ଦୁର୍ଗାପ୍ରସାଦସ୍ଥିତ ୟାମାହା ଶୋ ରୁମ୍କୁ ଦିବ୍ୟରଞ୍ଜନ ଗାଡ଼ି କିଣିବାକୁ ଯାଇଥିଲା। ଏ ନେଇ ସମସ୍ତ କାଗଜପତ୍ର କାମ ସରିବା ପରେ ଶୋ-ରୁମ୍ କର୍ତ୍ତୃପକ୍ଷଙ୍କୁ ଗାଡ଼ିର ମୂଲ୍ୟ ବାବଦରେ ୧ ଲକ୍ଷ ୨୫ ହଜାର ଟଙ୍କା ଡିପୋଜିଟ୍ କରିଥିଲା। କିନ୍ତୁ ଏହି ସମସ୍ତ ୫୦୦ ଟଙ୍କିଆ ନୋଟ୍ ଦେଖି ଶୋ-ରୁମ୍ କର୍ତ୍ତୃପକ୍ଷଙ୍କ ତାହା ନକଲି ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଶୋ-ରୁମ୍ କର୍ତ୍ତୃପକ୍ଷ ଓ ଦିବ୍ୟରଞ୍ଜନ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ର ସମସ୍ତ ଚାଲ୍ ଧରାପଡ଼ିଯାଇଥିବା ଜାଣି ସେ ଓ ତା’ର ଜଣେ ସହଯୋଗୀ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ, ଶୋ-ରୁମ୍ କର୍ତ୍ତୃପକ୍ଷ ସେମାନଙ୍କୁ ଅଟକ ରଖିଥିଲେ। ଦିବ୍ୟରଞ୍ଜନ ଉତ୍ପାତ କରିବାରୁ, ତୁରନ୍ତ ଟାଉନ୍ ଥାନା ପୁଲିସକୁ ଖବର ଦିଆଯାଇଥିଲା। ଟାଉନ ଥାନା ପୁଲିସ ଶୋ-ରୁମ୍ରେ ପହଞ୍ଚି ଦିବ୍ୟରଞ୍ଜନ ଓ ତା’ ସହିତ ଗାଡ଼ି କିଣିବାକୁ ଯାଇଥିବା ଅନ୍ୟ ଜଣେ ବ୍ୟକ୍ତିକୁ ଥାନାକୁ ଉଠାଇ ଆଣିଥିଲା ଏବଂ ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପରେ ଦିବ୍ୟରଞ୍ଜନ ଏଠାରେ ଭଡ଼ା ଘରେ ରହୁଥିବା ଜଣାପଡ଼ିଥିଲା। ତୁରନ୍ତ ଏସ୍ଆଇ ସ୍ମୃତିରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଭଡ଼ା ଘରେ ଚଢ଼ଉ କରାଯାଇଥିଲା। ସେଠାରୁ ଅନେକ ଅଧା ପ୍ରସ୍ତୁତ ହୋଇଥିବା ନକଲି ନୋଟ୍ ସମେତ କଲର୍ ପ୍ରିଣ୍ଟର୍, ସିପିୟୁ, କମ୍ପ୍ୟୁଟର୍ ଆଦି ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।