କରୋନା ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଏବେ ଏକ ନମ୍ବର ସ୍ଥାନରେ ରହିଛି

ଭୁବନେଶ୍ୱର,୬ା୯: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଏବେ ଏକ ନମ୍ବର ସ୍ଥାନରେ ରହିଛି । ପ୍ରତିଦିନ ୭ଠଠ ଉପରେ ସଂକ୍ରମିତ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ବିଶେଷ କରି ରାଜଧାନୀ ଭୁବନେଶ୍ୱର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ସଂକ୍ରମଣର ଏହି ଟ୍ରେଣ୍ଡ୍ରେ ବ୍ରେକ୍ ଦେବାକୁ ଖୋର୍ଦ୍ଧା ଜିଲ୍ଲା ପାଇଁ ଗଞ୍ଜାମ ଫର୍ମୁଲା ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ଭାରତରେ କରୋନା ଭୂତାଣୁ ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ । ମାସାଧିକ କାଳ ଦୈନିକ ସଂକ୍ରମଣ ୭୦ ହଜାର ଊଦ୍ଧ୍ୱର୍ରେ ରହୁଥିବାବେଳେ ଦୁଇଦିନ ହେଲା ଏହା ୮୫ ହଜାରରୁ ଅଧିକ ରହୁଥିବା ଜଣାପଡିଛି । ଏଭଳି ସ୍ଥିତିରେ ଆଜି ସଂକ୍ରମଣରେ ରେକର୍ଡ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୦,୬୩୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ୧,୦୬୫ ଜଣ ପ୍ରାଣ ହରାଇଛନ୍ତି । ଏହାଫଳରେ ସଂକ୍ରମିତଙ୍କ ସଂଖ୍ୟା ୪୧,୧୩,୮୧୧ରେ ପହଞ୍ଚôଥିବାବେଳେ ମୃତୁ୍ୟ ସଂଖ୍ୟା ୭୦,୬୨୬ ଛୁଇଁଛି । ବିଶ୍ୱ କରୋନା ତାଲିକାର ତୃତୀୟ ସ୍ଥାନରେ ଥିବା ଭାରତ ବ୍ରାଜିଲ୍କୁ ଟପି ଦ୍ୱିତୀୟ ସ୍ଥାନରେ ।

ହଟ୍ସ୍ପଟ୍ ଗଞ୍ଜାମ ଜିଲ୍ଲାରେ ଯେପରି ବେକାବୁ କରୋନାକୁ କାବୁ କରାଯାଇପାରିଲା ଏବଂ ଏଥିପାଇଁ ଯେଉଁ ଫର୍ମୁଲା ଆପଣାଯାଇଥିଲା, ତାହା ସଫଳ ହୋଇଛି । ଏବେ ଗଞ୍ଜାମରେ ଧୀରେ ଧୀରେ ସଂକ୍ରମଣ କମିବା ଆରମ୍ଭ କରିଛି । ସେହି ରଣନୀତିକୁ ଖୋର୍ଦ୍ଧାରେ ଆପଣାଇ ଜିଲ୍ଲାରେ କରୋନାକୁ କାବୁ କରିବାକୁ ଯାଉଛନ୍ତି ସରକାର । ଆଜି ଭୁବନେଶ୍ୱରର ସର୍କିଟ୍ ହାଉସ୍ରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କରୋନା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଗଞ୍ଜାମରୁ ଆସିଥିବା ଦୁଇଜଣ ଆଇଏଏସ୍ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲାରେ ସଫଳତାର ସହ କୋଭିଡ୍ ମୁକାବିଲା କରି ଫେରିଥିବା ଆଇଏଏସ ପାରୁଲ୍ ପଟ୍ଟୱାରୀଙ୍କୁ ବିଏମ୍ସି ଅଞ୍ଚଳ ଏବଂ ଆଇଏଏସ୍ ବିଶାଲ ସିଂହଙ୍କୁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ କୋଭିଡ୍ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି । ଖୋର୍ଦ୍ଧାର ଗ୍ରାମାଞ୍ଚଳକୁ ଅଧିକ ଫୋକସ୍ ଦିଆଯାଇଥିବାବେଳେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍ମେଣ୍ଟ୍କୁ ପ୍ରାଥମିକତା ଦିଆଯାଉଛି । ଭୁବନେଶ୍ୱରରେ ବଡ଼ ବଡ଼ କାର୍ଯ୍ୟାଳୟ ସହ ବିମାନବନ୍ଦର ଓ ରେଳ ଷ୍ଟେସନ୍ ଥିବାରୁ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକରୁ ଅଧିକ ଟେଷ୍ଟିଂ ପାଇଁ ଯୋଜନା କରାଯାଇଛି । କଣ୍ଟାକ୍ଟ ଟ୍ରେସିଂକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଆଇଏଏସ୍ ବିଶାଲ ସିଂହ କହିଛନ୍ତି । ସେହିପରି ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରାଯିବ । ମହିଳା, ଶିଶୁ ଓ ବୟସ୍କଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ଭୁବନେଶ୍ୱର, ବାଲିପାଟଣା ଓ ବାଲିଅନ୍ତାର ବିଡିଓ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *