କଳିଙ୍ଗ ଖବର,ଭୁବନେଶ୍ବର ୪/୧:ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଖୋଲିବ ସମସ୍ତ ବିଶ୍ୱ ବିଦ୍ୟାଳୟ ତଥା ମହା ବିଦ୍ୟାଳୟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଏଥିରେ କୁହାଯାଇଛି। ରାଜ୍ୟରେ କୋଭିଡ୍-୧୯ର ସ୍ଥିତି ସୁଧାରିବା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପାଠପଢା ଚାଲିବ। ଏଣେ ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ଜାରି ହେବ। ଆଗାମୀ ଏପ୍ରିଲ ୩୦ ତାରିଖରେ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ। ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ରୁ ଜୁନ ୧୫ ତାରିଖ ଯାଏଁ ଶିକ୍ଷାଦାନ କରାଯିବ। ଠିକ୍ ସେହିପରି ଜୁନ ୧୬ରୁ ୩୧ତାରିଖ ଯାଏଁ ଫାଇନାଲ ସେମିଷ୍ଟାର ପରୀକ୍ଷା ଚାଲିବ। ଜୁଲାଇ ୧୫ରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଖୋଲିବ ଘରୋଇ ସ୍କୁଲ। ଏ ନେଇ କନଫଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କିନ୍ତୁ ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି। ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିଲାଣି। ଶିକ୍ଷା ମନ୍ଦିର ଖୋଲିବାର ଆବଶ୍ୟକତା ରହିଛି। ସଂପୂର୍ଣ୍ଣ ସ୍କୁଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ସ୍କୁଲ ଆସିବା ପାଇଁ ଆବଶ୍ୟକ ଥିବା ସମସ୍ତ କରୋନା ନିୟମ ମାନିବାକୁ ପ୍ରସ୍ତୁତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଦୁଇଟି କ୍ଳାସ ନୁହେଁ ନବମ, ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି।
ଫେବୃୟାରୀ ମାସରୁ ସ୍ବାଭାବିକ ଭାବରେ ସ୍କୁଲ ଖୋଲିବ। ଜାନୁଆରୀ ୮ରୁ ଦଶମ ଓ ଦ୍ବାଦଶ, ୧୪ ରୁ ନବମ ଓ ଏକାଦଶ ଖୋଲିବ। ଫେବୃଆରୀ ୧ ତାରିଖରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କଲା ଘରୋଇ ସ୍କୁଲ ସଂଘ। ଫେବୃଆରୀ ରେ ବି ପରୀକ୍ଷା ହେବ। ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା। ୭୦ ମାର୍କ ପରୀକ୍ଷା ହେବ। ୩୦ ମାର୍କ ଗ୍ରେସ ମିଳିବ। କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ।