କଟକ,କଳିଙ୍ଗ ଖବର, ୨୧।୧୨:କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛିଦିନ ଧରି ନକଲି କାରଖାନା ଠାବ କରାଯାଉଛି। ପୁଲିସ ଓ ସିଏମ୍ସିର ମିଳିତ ଚଢ଼ାଉରେ ମସଲା, ସୋୟାବିନ୍, ଘିଅ, ସସ୍, ପାନମସଲା, ସିମେଣ୍ଟ, ରଙ୍ଗ, ଗଙ୍ଗାଜଳ ପ୍ରସ୍ତୁତକାରୀ ନକଲି କାରଖାନାର ସନ୍ଧାନ ମିଳୁଛି। ପ୍ରତିଦିନ କେଉଁଠି ନା କେଉଁଠି ଚଢ଼ାଉ କରାଯାଇ ନକଲି ଓ ଅପମିଶ୍ରିତ ଖାଦ୍ୟସମାଗ୍ରୀ କାରଖାନା ସିଲ୍ ହେଉଛି। ମାତ୍ର ଏଥିପାଇଁ ସିଏମ୍ସି ପାଖରେ ଆବଶ୍ୟକୀୟ ସଂଖ୍ୟାର କର୍ମଚାରୀ ନାହାନ୍ତି। ଏପରିକି ଗତ ଦେଢ଼ବର୍ଷରୁ ଅଧିକ ଦିନ ହେବ ମହାନଗର ନିଗମରେ ମାତ୍ର ଜଣେ ଅସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ କାମ ଚାଲିଛି। ଅନ୍ୟପଟେ ଉକ୍ତ ଅଧିକାରୀଜଣକ ଏକ ସମୟରେ ଭୁବନେଶ୍ବର ଓ କଟକ ଦାୟିତ୍ବରେ ଅଛନ୍ତି। ଏପରି ସ୍ଥିତିରେ ସିଏମ୍ସି ପକ୍ଷରୁ ଚଢ଼ାଉ କରିବା ଓ ସହରର ବିଭିନ୍ନ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରିବାରେ ନାନା ସମସ୍ୟା ହେଉଥିବାର ଅଭିଯୋଗ ହୋଇଛି। ସିଏମସିରେ ଅଧିକ ସଂଖ୍ୟାର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ସହିତ ଏକାଧିକ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ପଦବି ସୃଷ୍ଟି କରିବାକୁ ସରକାରଙ୍କୁ ବାରମ୍ବାର ଚିଠି କରାଯାଇଥିଲେ ବି ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ସୂଚନା ରହିଛି।